ତ୍ରିବେଣୀ ଅମାବାସ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search
ମୌନୀ ଅମାବାସ୍ୟା
ଅନ୍ୟ ନାମ ତ୍ରିବେଣୀ ଅମାବାସ୍ୟା, ବିରଜା ଅମାବାସ୍ୟା
ପାଳନକାରୀ ହିନ୍ଦୁ
ପ୍ରକାର ଭାରତୀୟ ହିନ୍ଦୁ
ପର୍ବ ପାଳନ ତୀର୍ଥସ୍ଥଳରେ ବୁଡ଼, ଉପବାସ, ବିଷ୍ଣୁଙ୍କ ପୂଜା
ଆରମ୍ଭ ମାଘ ଅମାବାସ୍ୟା
୨୦୧୭ ତାରିଖ ୨୭ ଜାନୁଆରୀ (ଶୁକ୍ରବାର)
୨୦୧୮ ତାରିଖ ୧୬ ଜାନୁଆରୀ (ମଙ୍ଗଳବାର)
୨୦୧୯ ତାରିଖ ୪ ଫେବୃଆରୀ (ସୋମବାର)

ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କହାଯାଏ । ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି । ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା’ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି । ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ । ତା'ଛଡ଼ା ବର୍ଷକରେ ଥରେ ମକର ରାଶିକୁ ଗମନ କରନ୍ତି ରବି ବା ସୂର୍ଯ୍ୟ । ଶନି ହେଉଛନ୍ତି ମକରର ସ୍ୱାମୀ ବା ପ୍ରଭୁ ଏବଂ ଚନ୍ଦ୍ରଙ୍କ ବିରୋଧୀ । ମକରରେ ରବିଙ୍କ ଅବସ୍ଥାନଦ୍ୱାରା ମକର ଓ ଶନିଙ୍କ ପ୍ରଭାବ ବୃଦ୍ଧିପାଏ । ଫଳରେ ଚନ୍ଦ୍ର ଆହୁରି ଦୁର୍ବଳ ହୋଇଯାଆନ୍ତି । ଚନ୍ଦ୍ରଙ୍କଦ୍ୱାରା ଆମର ମନ ଓ ଭାବ ନିୟନ୍ତ୍ରଣ ହୋଇଥାଏ । ତେଣୁ ଆମର ଚିନ୍ତା କରିବା ଏବଂ ନିଷ୍ପତ୍ତି ନେବାର ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୁଏ । ତେଣୁ ମୌନୀ ଅମାବାସ୍ୟା ଦିନ ଅଧିକ କଥାବାର୍ତ୍ତା ନକରି ମୌନବ୍ରତ ଅବଲମ୍ବନ କରିବା ଭଲ । ମାଘସ୍ନାନଦ୍ୱାରା ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ମୌନୀ ଅମାବାସ୍ୟାରେ ତୀର୍ଥସ୍ଥଳରେ ବୁଡ଼, ଉପବାସ ପାଳନ ଓ ବିଷ୍ଣୁଙ୍କୁ ପୂଜା କଲେ ମହାପୁଣ୍ୟ ମିଳେ । ପିପଳ ବୃକ୍ଷକୁ ଏହିଦିନ ପ୍ରଦକ୍ଷଣ କରିବାର ମଧ୍ୟ ବିଧି ରହିଛି । ମକର ମାସସାରା ପ୍ରୟାଗର ସଙ୍ଗମ ସ୍ଥଳରେ ହିନ୍ଦୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ନାନ, ଦାନ ଓ ପୂଜାର୍ଚ୍ଚନା ବା ‘କଳ୍ପବାସ’ କରି ମୌନି ଅମାବାସ୍ୟାକୁ ଅପେକ୍ଷା କରି ରହିଥାନ୍ତି । ମାସବ୍ୟାପୀ କେତେକ ସାଧୁସନ୍ଥ କେବଳ ଜଳପାନ କରନ୍ତି ଏବଂ ଆଉ କେତେକ ଦିନକୁ ଥରେ ହବିଷ ପାଳନ କରନ୍ତି । ଏକଥା ମଧ୍ୟ କୁହାଯାଏ ଯେ ସୃଷ୍ଟିର ଆରମ୍ଭରେ ସବୁ ଶାନ୍ତ, ନିରବ ଥିଲା । ତାପରେ ସୃଷ୍ଟିହେଲା ଶବ୍ଦ ଏବଂ ଏହି ଶବ୍ଦ ଥିଲା ଓଁ ବା ବ୍ରହ୍ମନାଦ । ପ୍ରତ୍ୟେକ ଶବ୍ଦରେ ଅଛି ଶକ୍ତି ଏବଂ ଏହି ଶକ୍ତି ହିଁ ଚତୁଃପାର୍ଶ୍ୱର ସ୍ଥିତିକୁ ପରିବର୍ତ୍ତନ କରିପାରେ । ମୌନୀ ଅମାବାସ୍ୟାରେ ମୌନ ରହିଲେ ଶରୀରରେ ପ୍ରାଣ ସଂରକ୍ଷିର ହୋଇ ରହେ । ଏହା ଶକ୍ତି, ସାମର୍ଥ୍ୟ ପ୍ରଦାନ କରେ I[୧]

ଆଧାର[ସମ୍ପାଦନା]

  1. ସମ୍ବାଦ, ୧୨ଫେବୃଆରୀ ୨୦୧୩, ମଙ୍ଗଳବାର, ପୃଷ୍ଠା: ୨