ପୌଷ ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପୌଷ ପୂର୍ଣ୍ଣିମା
ଅନ୍ୟ ନାମ ପୁଷ୍‌ପୁନି, ଛେର୍‌ଛେରା
ବିଶେଷତା ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ,
ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ,
ଧନୁଯାତ୍ରାରେ କଂସ ବଧ ଓ ଯାତ୍ରା ଶେଷ
ତାରିଖ ପୌଷ ପୂର୍ଣ୍ଣିମା
୨୦୧୭ ତାରିଖ ୧୨ ଜାନୁଆରୀ (ଗୁରୁବାର)
୨୦୧୮ ତାରିଖ date missing (please add)

ପୌଷ ପୂର୍ଣ୍ଣିମା କୃଷି ସମ୍ୱନ୍ଧିତ ଏକ ସାମାଜିକ ପର୍ବ, ବ୍ରତ ବା ଓଷାପୂଜାର ଉପାଖ୍ୟାନ ଏହା ସହ ଜଡ଼ିତ ନଥାଏ । ପ୍ରଥମ ପାଚିଲା ଧାନକୁ ନେଇ ଓଡ଼ିଶାରେ ନୂଆଁଖାଇ ପାଳିତ ହେଲା ପରି ଫସଲ ଅମଳ ହେବା ପରେ ପୌଷ ମାସର ପୂର୍ଣ୍ଣିମାକୁ ପୁଷ୍‌ପୁନି ବା ଛେର୍‌ଛେରା ଭାବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକ ଗଣପର୍ବ ରୂପେ ପାଳନ କରାଯାଏ । ପୂର୍ଣ୍ଣମୀ ରାତିସାରା ପଶ୍ଚିମ ଓଡ଼ିଶାର ଗାଁମାନଙ୍କରେ ନୃତ୍ୟ-ଗୀତର ଆସର ଜମିଥାଏ । ଏପ୍ରକାର ଆନନ୍ଦ ଉଲ୍ଲାସରେ ଆବାଳ ବୃଦ୍ଧବନିତା ଅଂଶୀଦାର ଥାଆନ୍ତି । ଏହା କୃଷକମାନଙ୍କ ପାଇଁ କୃଷିର ଶେଷପର୍ବ ଯାହାକି ଶସ୍ୟ ଅମଳ ପରେ ପାଳିତ ହୁଏ । ପୂର୍ଣ୍ଣିମାର ୫/୭ଦିନ ପୂର୍ବରୁ ବାଳକମାନେ ଦଳ ଦଳ ହୋଇ ଦ୍ୱାରଦ୍ୱାର ବୁଲି ବାଡ଼ି ଠକ୍‌ଠକ୍ କରି ଶବ୍ଦର ତାଳେ ତାଳେ ଗୀତ ଗାଇ ଚାନ୍ଦା ଆଦାୟ କରି ଥା’ନ୍ତି । ଗୀତରେ ବାରମ୍ବାର ଛେର୍‌ଛେରା ଶବ୍ଦ ଉଚ୍ଚାରିତ ହେଉଥାଏ । ଛେର୍ ଛେରା ଚାନ୍ଦାରେ ସାର୍ବଜନୀନ ଭୋଜି ଆୟୋଜନ ହୋଇଥାଏ । ଏହିଦିନ ସାହୁକାର ବା ବଡ଼ଚାଷୀମାନେ ସେମାନଙ୍କ ଖାତକ ବା ହଳିଆ ଓ ମୂଲିଆଙ୍କ ଘରକୁ ଅଡ଼ିଆ ପଠାଇଥା’ନ୍ତି । ଏ ଅଡ଼ିଆରେ ଥାଏ କିଛି ଅର୍ଥ, ନୂଆ ଲୁଗା, ଚାଉଳ, ଡାଲି ଓ କିଛି ପନିପରିବା । ଏହି ପୁଷ୍‌ପୁନିରେ ସାହୁକାର ନୂଆ କୃଷିଶ୍ରମିକ ନିୟୋଜିତ କରିବାର ସାମାଜିକ ଧାରା ମଧ୍ୟ ରହିଛି । [୨] ଏହି ଦିନ ବରଗଡ଼ରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରାର ପରିସମାପ୍ତି ଘଟିଥାଏ ।

ପୂର୍ବେ ରାଜାମାନଙ୍କ ଶାସନ ସମୟରେ ଏହିଦିନ ରାଜାମାନଙ୍କର ବନ୍ଦାପନା ହେଉଥିଲା । ରାଜା ଓ ପ୍ରଜା ସମସ୍ତେ ଉପବୀତ ଧାରଣ କରୁଥିଲେ । ଏବେମଧ୍ୟ ଆମ ଗାଁମାନଙ୍କରେ ନୂତନ ପଇତା ଗ୍ରହଣ କରିବା ବିଧି ପ୍ରଚଳନ ଅଛି । ଅନେକ ସ୍ଥାନରେ ଦେବତାମାନଙ୍କୁ ମଧ୍ୟ ସ୍ୱର୍ଣ୍ଣ ଉପବୀତରେ ଭୂଷିତ କରାଯାଏ । କୁହାଯାଏ ଯେ ହିନ୍ଦୁ ସଂସ୍କୃତିକୁ ଏକତା ସୂତ୍ରରେ ବାନ୍ଧି ରଖିବାହିଁ ହେଉଛି ସାମଗ୍ରିକ ଭାବେ ଉପବୀତ ଗ୍ରହଣ କରିବା । ଏହିଦିନ ନାନା ସୁଖାଦ୍ୟ: ମଣ୍ଡା, କାକରା, ଲଡୁ ଓ ମୁଆଁ ଆଦି ଦେବତାଙ୍କୁ ଭୋଗ କରାଯାଏ ଏବଂ ସମର୍ପିତ ଭୋଗକୁ ସମସ୍ତଙ୍କୁ ବଣ୍ଟନ କରାଯାଏ । ଏହି ଦିନ ଉତ୍କଳର ଜାତୀୟବାଦ୍ୟ ତେଲଙ୍ଗା ବାଦ୍ୟ ମଧ୍ୟ ଅନୁକୂଳ ହୁଏ । ବାଜାବାଲାମାନେ ଦ୍ୱାରଦ୍ୱାର ବୁଲି ମଧୁରଧ୍ୱନିରେ ଜନସମୁଦ୍ରକୁ ମୁଗ୍ଧକରିଥାଆନ୍ତି । ଗୃହିଣୀମାନେ ସେମାନଙ୍କ ବାଜାଶୁଣି ଏମାନଙ୍କୁ ଉଣାଅଧିକେ ଶସ୍ୟଦାନ କରିଥାଆନ୍ତି । ଜାତି-ବର୍ଣ୍ଣ-ନିର୍ବିଶେଷରେ ସମସ୍ତେ ଏହିପର୍ବ ସହିତ ସାମିଲ ହୋଇଥାଆନ୍ତି ।

ପୁଷ୍ୟାଭିଷେକ[ସମ୍ପାଦନା]

ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏ ଉତ୍ସବ ନେଇ ଉଲ୍ଲେଖ ଅଛି: "ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ । ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ ॥

ଏହି ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ଵସ୍ତିବାଚନ, ମଙ୍ଗଳାରୋପଣ, ଯଜ୍ଞୋପବୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ବିଧିରେ ବିଜେ -ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପବୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାବିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ । ନୀଳାଦ୍ରୀ ମହୋତ୍ସବରେ ଲେଖାଅଛି: “ଏବଂଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ । ଅଭିଷେକୋତ୍ସଙ୍କ ଯେ ବୈ ପଶ୍ୟନ୍ତି ଭୂବିମାନବାଃ ॥ ସର୍ବପାପର୍ବିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । ସର୍ବାନକାମାନ ପରଂଲବ୍‌ଧ୍ୱା ବିଷ୍ଣଲୋକଂ ବ୍ରଜନ୍ତିତେ ॥”[୩] ଏହି ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ ।

ଆଧାର[ସମ୍ପାଦନା]

  1. "2016 Paush Purnima date". drikpanchang.com. Retrieved ୬ ଜାନୁଆରୀ ୨୦୧୫.  Check date values in: |accessdate= (help)
  2. ସମ୍ବାଦ, ପୃଷ୍ଠା- ୨, ୨୩.୧. ୨୦୧୩
  3. ମହାନ୍ତି, ବିପିନବିହାରୀ. "ପୁଷ୍ୟାଭିଷେକ-ପୁଷ୍-ପୁନି" (PDF). ପର୍ଯ୍ୟବେକ୍ଷକ. Retrieved 6 January 2015.