ସୁନନ୍ଦା ପଟ୍ଟନାୟକ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁନନ୍ଦା ପଟ୍ଟନାୟକ
SunandaPatnaik.JPG
ଜନ୍ମ ଓ ଜନ୍ମସ୍ଥାନ ସୁନନ୍ଦା ପଟ୍ଟନାୟକ
୭ ନଭେମ୍ବର ୧୯୩୪ (1934-11-07) (୮୩ ବର୍ଷ)
ଓଡ଼ିଶା
ଜାତୀୟତା  ଭାରତୀୟ
ପ୍ରସିଦ୍ଧି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ
ଦସ୍ତଖତ
Sunanda Patnaik Autograph Vector.png

ସୁନନ୍ଦା ପଟ୍ଟନାୟକ (ଜନ୍ମ ୭ ନଭେମ୍ବର ୧୯୩୪) ଓଡ଼ିଶାରେ ଜନ୍ମିତ ଗୋଆଲିୟର ଘରାନାର ଜଣେ ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ।[୧] ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏହି ପ୍ରଖ୍ୟାତ ଗାୟିକା[୨] [୩] ‘‘ଗୁରୁମା’’ ହିସାବରେ ସୁପରିଚିତ । [୪]

ବାଲ୍ୟଜୀବନ ଓ ସଙ୍ଗୀତ ଶିକ୍ଷା[ସମ୍ପାଦନା]

ସୁନନ୍ଦା ୧୯୩୪ମସିହା ଦିପାବଳୀ ଦିନ ଜନ୍ମଗ୍ରହଣ କରିଥିଲେ । ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ୧୦ଟି ସନ୍ତାନ ମଧ୍ୟରୁ, ସେ ଥିଲେ ସବୁଠାରୁ ବେଶି ଜିଦିଆ ଝିଅ । ସେତେବେଳର ଓଡ଼ିଆ ଘରର ଝିଅମାନଙ୍କଠୁ ଭିନ୍ନ ସ୍ଵଭାବର ସୁନନ୍ଦା ଖେଳ, ପହଁରା, ମାଛଧରିବା ଇତ୍ୟାଦିରେ ପାରଙ୍ଗମ ଥିଲେ । ପିଲାଦିନେ ତାଙ୍କ ଗୀତ ଗାଇବା ପ୍ରବୃତ୍ତିକୁ ପସନ୍ଦ କରାଯାଉନଥିଲା । ତାଙ୍କୁ ଥରେ ପଚରାଗଲା, "ତୁ ଗୀତ ଗାଇବୁ ? ବାଇଜି ହେବୁ ନା କଣ !" ସୁନନ୍ଦା ଉତ୍ତର ଦେଇଥିଲେ, "ଗୀତ ଗାଇବାପାଇଁ ଯଦି ବାଇର ଘରେ ବାସନ ମାଜିବାକୁ ପଡେ, ସେଥିପାଇଁ ମଧ୍ୟ ମୁଁ ପ୍ରସ୍ତୁତ ।" ପିଲାଦିନୁ ସେ କେବଳ ଗୀତ ଶୁଣି ଶୁଣି ଗାଉଥିଲେ । ଶିଖିବାର ସୁଯୋଗ ନଥିଲା । ୧୯୪୮ ମସିହାରେ, ଯେତେବେଳେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା, ସେତେବେଳେ ମାତ୍ର ୧୪ ବର୍ଷ ବୟସରେ ସେ ଅଡ଼ିସନ ଦେଇ କୃତକାର୍ଯ୍ୟ ହୋଇଥିଲେ । ଆକାଶବାଣୀରେ ସଙ୍ଗୀତ ପରିବେଷଣ କରିବା ପାଇଁ ପିତା ବୈକୁଣ୍ଠନାଥ ତାଙ୍କୁ ତୁଳସୀ ଦାସ, ସୁରଦାସମୀରା ବାଈ ଆଦିଙ୍କର ପୁସ୍ତକ କିଣି ଆଣି ଦେଇଥିଲେ । ସେ ସବୁକୁ ସୁନନ୍ଦା ନିଜେ ସୁରଦେଇ ଆକାଶବାଣୀରେ ପରିବେଷଣ କରୁଥିଲେ । ପାରିଶ୍ରମିକ ମିଳୁଥିଲା ୧୭ଟଙ୍କା । ନିଜ ପିତାଙ୍କର ରଚନା ‘ଜୀବନ ପାତ୍ର ମୋ ଭରିଛ କେତେ ମତେ’କୁ ସେ ନିଜେ ସୁରଦେଇ ଗାଇଛନ୍ତି । ଗୀତଟି ଓଡ଼ିଶା ତଥା ବାହାରେ ଖୁବ ଲୋକପ୍ରିୟ । ସେତେବେଳର ରାଜ୍ୟପାଳ ଅସଫ୍ ଅଲ୍ଲୀ ଆକାଶବାଣୀରେ ସୁନନ୍ଦାଙ୍କ ସଙ୍ଗୀତ ଶୁଣି ତାଙ୍କୁ ରାଜ ଭବନରେ ସଙ୍ଗୀତ ପରିବେଷଣ କରିବାକୁ ନିମନ୍ତ୍ରଣ କରିଥିଲେ ଓ କ୍ରମେ ସୁନନ୍ଦା, ରାଜ ଭବନରେ ନିୟମିତ ଭାବରେ ସଙ୍ଗୀତ ପରିବେଷଣ କରିବାକୁ ଲାଗିଲେ । ଏକଦା ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପୁରୀ ଆସିଥିଲେ । ତାଙ୍କ ମନରଞ୍ଜନ ପାଇଁ, ରାଜ୍ୟପାଳ ଅସଫ୍ ଅଲ୍ଲୀ, ସୁନନ୍ଦାଙ୍କୁ ଡକେଇ ପଠେଇଲେ । ସେତେବେଳକୁ ସୁନନ୍ଦା ଦଶମ ଶ୍ରେଣୀର ଛାତ୍ରୀ । ସୁନନ୍ଦାଙ୍କ ସଙ୍ଗୀତ ପରିବେଷଣରେ ମୁଗ୍ଧ ହୋଇଥିଲେ ରାଜେନ୍ଦ୍ର ପ୍ରସାଦ । ସେ ସୁନନ୍ଦାଙ୍କୁ ପଚାରିଲେ, "କାହାଠୁ ଗୀତ ଶିଖୁଛ !" ସୁନନ୍ଦା କହିଲେ "ଶିଖୁନାହିଁ, କିନ୍ତୁ ଶିଖିବାକୁ ଚାହେଁ ।" ରାଜେନ୍ଦ୍ର ପ୍ରସାଦ ପଚାରିଲେ, "କେଉଁ ନିର୍ଦ୍ଧିଷ୍ଟ ଗୁରୁଙ୍କଠାରୁ ଶିଖିବାକୁ ଚାହୁଁଛ !" ଆଗରୁ ସୁନନ୍ଦା ଗୁରୁ ପଣ୍ଡୀତ ବିନାୟକ ରାଓ ପଟ୍ଟବର୍ଧନଙ୍କ ଗୀତ ଶୁଣି ମୁଗ୍ଧ ହୋଇଥିଲେ । ତାଙ୍କରି ନାମ ନେଲେ । ପଣ୍ଡୀତ ବିନାୟକ ରାଓ ପଟ୍ଟବର୍ଧନ ଥିଲେ ରାଜେନ୍ଦ୍ର ପ୍ରସାଦଙ୍କ ବନ୍ଧୁ । ତାଙ୍କରି ଅଧୀନରେ ସୁନନ୍ଦାଙ୍କର ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରାଇଦେଇଥିଲେ ରାଜେନ୍ଦ୍ର ପ୍ରସାଦ । ମାଟ୍ରିକ ପାସ କରିବା ପରେ, ରାଷ୍ଟ୍ରପତିଙ୍କଠାରୁ ମାସକୁ ୫୦ଟଙ୍କା ଓ ରାଜ୍ୟପାଳଙ୍କଠାରୁ ୨୫ଟଙ୍କା ବୃତ୍ତିରେ ଆରମ୍ଭ ହେଲା ସୁନନ୍ଦାଙ୍କର ପୁଣେରେ ସଙ୍ଗୀତ ଶିକ୍ଷା । ଗୋଟିଏ ଅନାଥଳୟରେ ରହି, ସେ ସଙ୍ଗୀତଶିକ୍ଷା କରୁଥିଲେ । ୧୯୫୬ ମସିହାରେ ପୁଣେ ସ୍କୁଲ ତରଫରୁ ତାଙ୍କୁ 'ମାଷ୍ଟର୍ସ ଅଫ୍ ମ୍ୟୁଜିକ' ଉପାଧୀ ପ୍ରଦାନ କରାଯାଇଥିଲା । ଏହି ପାଞ୍ଚବର୍ଷର ପାଠ୍ୟକ୍ରମକୁ, ସୁନନ୍ଦା ମାତ୍ର ଚାରିବର୍ଷରେ ସମାପ୍ତ କରିଥିଲେ ।

ବୃତ୍ତିଗତ ସଙ୍ଗୀତଜ୍ଞ ଜୀବନ[ସମ୍ପାଦନା]

ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଗାୟନ କରୁଥିବା ସୁନନ୍ଦା ପଟ୍ଟନାୟକ

ବିଧିବଦ୍ଧ ସଙ୍ଗୀତ ଶିକ୍ଷା ସମାପ୍ତ କରିବା ପରେ କିନ୍ତୁ ସୁନନ୍ଦାଙ୍କ ସଙ୍ଗୀତ ପାଇଁ ଓଡ଼ିଶାରେ ଶ୍ରୋତା ଅଭାବ ଥିଲେ । କେବଳ ଆକାଶବାଣୀରେ ହିଁ ସେ ନିଜ ସଙ୍ଗୀତ ପରିବେଷଣ କରିପାରୁଥିଲେ । ଏଥିପାଇଁ ସରକାରଙ୍କ ତରଫରୁ ତାଙ୍କ ୧୫୦ଟଙ୍କାର ମାସିକ ବୃତ୍ତି ମିଳୁଥିଲା । ୧୯୫୭ ମସିହାରେ କଲିକତାଠାରେ ସେ 'ଅଖିଳ ଭାରତୀୟ ସଦରଙ୍ଗ ସଙ୍ଗୀତ ସମ୍ମୀଳନୀ'ରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲା । ଏଥିପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳିନଥିଲା, କେବଳ ଯିବା ଆସିବା ଖର୍ଚ୍ଚ ବ୍ୟତିତ । ସୁନନ୍ଦା ଏହି ସୁଯୋଗ ହାତଛଡା କରିନଥିଲେ । ତାଙ୍କ ପରିବେଷଣରେ ଉସ୍ତାଦ ବିଲାୟତା ଖାଁ ମୁଗ୍ଧ ହୋଇ ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୋତାମାନେ ମଧ୍ୟ ସୁନନ୍ଦାଙ୍କୁ ବାରମ୍ବାର ଶୁଣିବା ପାଇଁ ଅନୁରୋଧ କରିଥିଲେ । ବିନା ପାରିଶ୍ରମିକରେ ଚୁକ୍ତି କରିଥିବା ସୁନନ୍ଦାଙ୍କୁ ପୁରସ୍କାର ମିଳିଲା ୧୩ଟି ଭରିକିଆ ସ୍ଵର୍ଣ୍ଣମୁଦ୍ରା, ଯାହାକୁ ସେ ବଦଳାଇ ୧୩୭୦ଟଙ୍କା ପାଇଥିଲେ । ଏହାପରେ ସେ ଦେଶ ବିଦେଶରେ ପରିଚିତ ହୋଇପାରିଥିଲେ । ୧୯୮୩ ମସିହାଠାରୁ ସୁନନ୍ଦା କଲିକତାରେ ରହି ସଙ୍ଗୀତ ପରିବେଷଣ ସହ ଶିକ୍ଷାଦାନ ମଧ୍ୟ କରିଆସୁଛନ୍ତି ।[୫] ପୁରୀରେ ମଧ୍ୟ ଏକ ଗୁରୁକୁଳ ପ୍ରତିଷ୍ଠା କରି, ସେ ସଙ୍ଗୀତ ଶିକ୍ଷାଦାନ କରିଥିଲେ ।

"ନୀଳମାଧବ", "ସୂବର୍ଣ୍ଣମୂଖୀ" ଭଳି ସେ ନ'ଟି ନୂତନ ରାଗ ସୃଷ୍ଟି କରିଛନ୍ତି ।[୬]

ଅନ୍ୟାନ୍ୟ[ସମ୍ପାଦନା]

ସୁନନ୍ଦା ପଟ୍ଟନାୟକ ଅଟୋଗ୍ରାଫ୍ ଦେଉଥିବା ଅବସ୍ଥାରେ

ସୁନନ୍ଦା ପଟ୍ଟନାୟକଙ୍କ ଜୀବନକୁ ଭିତ୍ତି କରି ନିର୍ମିତ ହୋଇଥିବା ନୀଳମାଧବ ଚଳଚ୍ଚିତ୍ରଟି ୫୮ତମ ରାଷ୍ଟୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ଶ୍ରୀ ଦିଲ୍ଲିପ ପଟ୍ଟନାୟକ ଓ ଏହା ଭାରତ ସରକାରଙ୍କ ଫିଲ୍ମ ଡିଭିଜନ (ଚଳଚ୍ଚିତ୍ର ବିଭାଗ )ଦ୍ଵାରା ନିର୍ମିତ ହୋଇଥିଲା । ୫୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ଏହା ଶ୍ରେଷ୍ଠ ଜୀବନୀ ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ରରୂପେ ପୁରସ୍କୃତ ହୋଇଥିଲା ।[୭]

ସମ୍ମାନ[ସମ୍ପାଦନା]

  • ସଙ୍ଗୀତ ନାଟକ ଏକାଡେମୀ (ଟାଗୋର ଏକାଡେମୀ) ପୁରସ୍କାର, ୨୦୧୨
  • ଇଣ୍ଡିଆନ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର, ୨୦୦୯
  • ଉତ୍କଳ ରତ୍ନ ସମ୍ମାନ, ୨୦୦୦
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୦-୭୧
  • ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ଡକ୍ଟରେଟ ୧୯୯୯
  • ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ସଙ୍ଗୀତରେ ଡକ୍ଟରେଟ - ୧୯୭୫

ଆଧାର[ସମ୍ପାଦନା]